ମା’ ଦୁର୍ଗା ଜନକଲ୍ୟାଣ ସମିତି ପକ୍ଷରୁ ଦୀପୋତ୍ସବ, ଜଳିଲା ୫୦୦ ଦୀପ

ବାଲେଶ୍ବର ( ଦେବାଶିଷ ଦାଶ ) ଆଲୋକର ପର୍ବ ଦୀପାବଳି ଅବସରରେ ମା’ ଦୁର୍ଗା ଜନକଲ୍ୟାଣ ସମିତି ପକ୍ଷରୁ ଏକ ଭବ୍ୟ ଦୀପୋତ୍ସବ ଆୟୋଜିତ ହୋଇଯାଇଛି। ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଦୀଖାପଦା ଗ୍ରାମର କପିଳମୁନି ମନ୍ଦିର ପ୍ରାଙ୍ଗଣରେ ୫୦୦ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇ ଆଲୋକରେ ଉଦ୍ଭାସିତ କରାଯାଇଥିଲା ମନ୍ଦିର ପରିସର।
ସମିତିର ସଭାନେତ୍ରୀ ଶାକମ୍ବରୀ ସିଂଙ୍କ ନେତୃତ୍ୱରେ ସଭ୍ୟା ନମିତା ମଲିକ, ଅନ୍ନପୂର୍ଣ୍ଣା ମଲିକ, ଏଲୋରା ପ୍ରିୟଦର୍ଶନୀ ସେଠୀ, ଗୀତା ସିଂ, ସବିତା ସିଂ, ମୁକ୍ତା ସିଂ ଓ ସରସ୍ୱତୀ ସିଂଙ୍କ ସମେତ ଗ୍ରାମବାସୀ ଏହି ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଅବସରରେ ସଭାନେତ୍ରୀ ଶ୍ରୀମତୀ ସିଂ କହିଥିଲେ ଯେ, ଆଲୋକର ପର୍ବ ଦୀପାବଳି ଆମ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଦୀପାବଳି ପର୍ବ କେବଳ ଆଲୋକର ବାର୍ତ୍ତା ଦିଏ ନାହିଁ, ବରଂ ଦୀପ, ସଳିତା ଓ ତେଲ ଆଦି ଉତ୍ପାଦନ କରୁଥିବା କ୍ଷୁଦ୍ର ଉତ୍ପାଦକ ଓ ବ୍ୟବସାୟୀଙ୍କ ଜୀବିକାକୁ ମଧ୍ୟ ସହାୟତା କରିଥାଏ। ଭାରତୀୟ ପରମ୍ପରା ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ସମାଜରେ ଏକତା ଓ ସଦ୍ଭାବନାର ବାର୍ତ୍ତା ପ୍ରସାର କରିବା ଏହି ଦୀପୋତ୍ସବର ଉଦ୍ଦେଶ୍ୟ ବୋଲି ସଦସ୍ୟାମାନେ ମତବ୍ୟକ୍ତ କରିଥିଲେ ।



