ବେଆଇନ ମଦ ବିକ୍ରି ବିରୋଧରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ୪ ଟି ଦୋକାନ ସିଲ୍

ରେଙ୍ଗାଲିକ୍ୟାମ୍ପ, ତା,୨୧/୧୧( ବିନାୟକ ନିୟୁଜ୍): ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ବେଆଇନ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରାଯାଇଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ପ୍ରଶାସନିକ ଟିମ୍ ଅତାବିରା ଅତିରିକ୍ତ ତହସିଲଦାର ଦୀପକ ପତି, ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ୪ଟି ବେଆଇନ ମଦ ଦୋକାନକୁ ସିଲ୍ କରିଛନ୍ତି। ରେଳ ଷ୍ଟେସନ ରୋଡ୍ ରେ ବେଆଇନ ମଦ କାରବାର ଚାଲୁଥିବା ୨ଟି ଦୋକାନକୁ ,କୃଷି କାର୍ଯ୍ୟାଳୟ କଡ଼ରେ ଥିବା ଗୋଟିଏ କେବିନ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା ଅନ୍ୟ ଗୋଟିଏ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହି ସମସ୍ତ ଦୋକାନ ଅତାବିରା ଏନ୍ ଏ ସି ଅଧିନସ୍ଥ ।ଅଞ୍ଚଳରେ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିବ ଏବଂ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।



