ଭୟଙ୍କର ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ

ନୀଳଗିରି ( ଦେବାଶିଷ ଦାଶ ) କାର୍ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ସେହିଭଳି ଅନ୍ୟ ତିନି ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ନୀଳଗିରି ୧୯ ନମ୍ବର ରାଜ୍ଯ ରାଜପଥ ର ପୋଡାଶୁଳ ଓ ସଜନାଗଡ ର ମଝି ଜାମୁଡ଼ିହି ଛକ ନିକଟ ଜେ.ଡି ଇଟା ଭାଟି ସମ୍ମୁଖରେ। ସୂଚନା ଅନୁଯାୟୀ ୨.୩୦ ସମୟ ରେ ନୀଳଗିରି ପଟୁ ସଜନାଗଡ଼ ଆଡ଼କୁ ଆସୁଥିବା ଏକ ହ୍ୟୁଣ୍ଡାଇ କାର୍ କୁ ସଜନାଗଡ଼ ପଟୁ ଏକ ପଲସର ବାଇକ୍ ଆସି ମୁହାଁ ମୁହିଁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଜଣେ ବାଇକ୍ ରେ ବସିଥିବା ଲୋକ ରାସ୍ତା ରେ ଛିଟିକି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଜଣଙ୍କୁ ନୀଳଗିରି ମେଡିକାଲ କୁ ନିଆଯାଇଥିବା ବେଳେ ପ୍ରଥମେ ବାଇକ୍ ଆରୋହୀ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବାଇକ୍ ରେ ବସିଥିବା ଲୋକ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିଭଳି କାର ଭିତରେ ଥିବା ଚାଳକ ଓ ଦୁଇ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ନୀଳଗିରି ମେଡିକାଲ୍ କୁ ପଠା ଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମେଡିକାଲ କଲେଜକୁ ପଠାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାର୍ ଓ ବାଇକ୍ ଦ୍ରୁତଗତିରେ ଆସୁଥିଲେ। ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଗାଡ଼ି ଦୁଇଟି ଜବତ କରି ତଦନ୍ତ କରୁଛି। ତେବେ ଖବର ଲେଖିବା ବେଳକୁ ଦୁଇ ମୃତ ବ୍ୟକ୍ତି ବାଇକ୍ ଆରୋହୀ ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ଡେଙ୍ଗାସାହି ଗ୍ରାମର ମାନସିଂ ସରେନ ଓ ବାଇକ୍ ରେ ବସିଥିବା ଲୋକ ଜାମୁଡିହା ପଞ୍ଚାୟତ ବରିପାଳ ଗ୍ରାମର କୁଶ ସିଂ ବୋଲି ସୂଚନା ମିଳିଛି।



