ଓଡିଶା

ଗୌଡୀୟ ମଠ ଚୋରି ଘଟଣା, କ୍ଲୋଜ ସର୍କିଟ କ୍ୟାମେରାରେ ରେକର୍ଡ ଦୁଇ ଚେହେରା

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ ରୁଦ୍ରପୁରସ୍ଥିତ ଶ୍ରୀ ମାଧବେନ୍ଦ୍ର ଗୌଡ଼ୀୟ ମଠରୁ ଠାକୁରଙ୍କ ବହୁ ମୂଲ୍ୟବାନ ସୁନା ଓ ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଏଯାଏଁ ପୁଲିସକୁ ସଫଳତା ମିଳିନାହିଁ। ଘଟଣାରେ ସମ୍ପୃକ୍ତ ଦୁଇ ଦୁର୍ବୃତ୍ତଙ୍କ ଚେହେରା ମଠର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲେ ମଧ୍ୟ ଚୋରି ସାମଗ୍ରୀ ଉଦ୍ଧାର କିମ୍ବା ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଏଯାଏଁ ସଫଳ ହୋଇନାହିଁ।

ଗତ ରାତିରେ ଦୁଇଜଣ ବ୍ୟକ୍ତି ମୁହଁ ଘୋଡ଼ାଇ ମଠରେ ପ୍ରବେଶ କରିଥିଲେ। ମଠର ତିନୋଟି ତାଲା ଭାଙ୍ଗି ଭିତରେ ପଶି ସେମାନେ ଠାକୁରଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ପ୍ରାୟ ଦେଢ଼ କିଲୋ ଓଜନର ରୁପା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସିସିଟିଭି ଫୁଟେଜ୍‌ରେ ଦୁଇ ଚୋରଙ୍କ ପୋଷାକ ଓ ଚଳପ୍ରଚଳର ଦୃଶ୍ୟ ରେକର୍ଡ ହୋଇଛି। ଜଣେ ଧଳା ରଙ୍ଗର ‘ଏମଏଫଡି’ ଲେଖାଥିବା ଟି-ସାର୍ଟ ଓ ଧଳା ହାଫ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ନୀଳ-ଧଳା ଫୁଲଛାପ ସାର୍ଟ ଓ ଧଳା ହାଫ୍ ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ଉଭୟ ଖାଲି ପାଦରେ ଥିବା ସହ ଜଣେ ହାତରେ ଗ୍ଲୋଭସ୍ ପିନ୍ଧିଥିଲେ ଏବଂ କାନ୍ଧରେ ବ୍ୟାଗ୍ ଟାଙ୍ଗିଥିଲା। ଚିହ୍ନଟ ଏଡ଼ାଇବା ପାଇଁ ସେମାନେ ଆଖି ପାଖରେ କଟା ଥିବା ଧଳା କପଡ଼ାରେ ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇଥିଲେ।

ଏହି ଘଟଣାକୁ ନେଇ ମଠର ଅଧ୍ୟକ୍ଷ ମହାରାଜ ରେମୁଣା ଥାନାରେ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରାଯିବା ଦାବି ହେଉଛି ମଠ ଭଳି ଧାର୍ମିକ ଅନୁଷ୍ଠାନରୁ ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିବାରୁ ଘଟଣାକୁ ନେଇ ଭକ୍ତମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ଦିଗରେ ପୁଲିସ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି। ଆଖପାଖର ସିସି କ୍ୟାମେରା ଯାଞ୍ଚ ସହ ପୁଲିସ ଆଧୁନିକ ଯାଞ୍ଚ ପଦ୍ଧତି ବ୍ୟବହାର କରିବା ଆବଶ୍ୟକ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button