ଓଡିଶା

ଜମି ରହିଛି କାରଖାନାର ଦୂଷିତ ପାଣି.ସୋମନାଥପୁର ଶିଳ୍ପାଞ୍ଚଳ ପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଦୃଷ୍ଟି ପାଇଁ ଦାବି

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲ୍ଲାର ସୋମନାଥପୁର ଶିଳ୍ପାଞ୍ଚଳରେ ଏକ ଚାଉଳ କୁଣ୍ଡା ପ୍ରକ୍ରିୟାକରଣ କାରଖାନାରୁ ନିର୍ଗତ ଦୂଷିତ ପାଣି ଜମିରେ ଜମି ରହିବା ସହ କଳା ଧୂଆଁ ନିର୍ଗତ ହେଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ପରିବେଶ ପ୍ରଦୂଷଣ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ, ଚାଉଳ ମିଲ୍‌ଗୁଡ଼ିକରୁ ନିର୍ଗତ କୁଣ୍ଡାରୁ ତେଲ ଉତ୍ପାଦନ ଉଦ୍ଦେଶ୍ୟରେ ସୋମନାଥପୁର ଶିଳ୍ପାଞ୍ଚଳରେ ବାଲେଶ୍ୱର ରାଇସ୍‌ ମିଲର୍ସ କନସୋର୍ଟିୟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ବୃହତ୍‌ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଏହି କାରଖାନାରେ ଦୈନିକ ୨୦୦ ମେଟ୍ରିକ୍‌ ଟନ୍‌ ଚାଉଳ କୁଣ୍ଡା ପ୍ରକ୍ରିୟାକରଣ କରି ପ୍ରାୟ ୫୦ ମେଟ୍ରିକ୍‌ ଟନ୍‌ ଅଶୋଧିତ ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନ କରିବାର କ୍ଷମତା ରହିଛି। ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପକୁ ୨୦୨୦ ମସିହାରେ ଅନୁମୋଦନ ମିଳିଥିଲା। ଚାଉଳ କୁଣ୍ଡାର ଉପଯୋଗ, ଶିଳ୍ପଭିତ୍ତିକ ଆୟ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ କାରଖାନାରୁ ନିର୍ଗତ ଦୂଷିତ ପାଣି ଜମିରେ ଜମି ରହୁଥିବାରୁ ଗୋରୁଗାଈ ଓ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଶିଳ୍ପ ପ୍ରକଳ୍ପର ଉଦ୍ଦେଶ୍ୟ ମହତ୍‌ ହୋଇଥିଲେ ମଧ୍ୟ ପରିବେଶ ସୁରକ୍ଷାକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ ବୋଲି ମତପ୍ରକାଶ ପାଇଛି। ଏଣୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଦୂଷିତ ପାଣି ନିଷ୍କାସନ ଓ ଧୂଆଁ ନିର୍ଗମନ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button