ଚୋରି ଘଟଣାରେ ନାବାଳକକୁ ପିଟିପିଟି ହତ୍ୟା ଅଭିଯୁକ୍ତ ବାପ ପୁଅ ଗିରଫ

ନୀଳଗିରି, ବାଲେଶ୍ବର ( ଦେବାଶିଷ ଦାଶ ) ନୀଳଗିରି ବ୍ଲକ୍ ବରହମପୁର ଥାନା ତେନ୍ତୁଳିଆ ଗ୍ରାମରେ ଗତ ଶୁକ୍ରବାର ଏକ ଦୋକାନରେ ଚୋରିକରିବା ଘଟଣାରେ ଜଣେ ନାବାଳକକୁ ପିଟିପିଟି ହତ୍ୟାକରିବା ଅଭିଯୋଗରେ ଆଜି ଅଭିଯୁକ୍ତ ବାପପୁଅକୁ ଗିରଫକରିଛି ବରହମପୁର ପୋଲିସ। ପରେ ଉଭୟଙ୍କୁ ଡାକ୍ତର ମାଇନାପରେ ଜେଲହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ତେନ୍ତୁଳିଆ ନିକଟସ୍ଥ ନୂଆସାହି ଗ୍ରାମର ରାଧାମୋହନ ବାଗସିଂଙ୍କ ୧୦ବର୍ଷର ନାବାଳକ ପୁଅ ଦିନେଶ ପଞ୍ଚାୟତ ନିକଟସ୍ଥ ମାର୍କେଟକମ୍ପ୍ଲେକ୍ସ ରେ ଦୋକାନକରିଥିବା ମାନସ ବେହେରାଙ୍କ ଦୋକାନକୁ ମୁଢ଼ି ଆଣିବାପାଇଁ ଯାଇଥିଲେ। ତେବେ ଦୋକାନୀଙ୍କ ଅଲକ୍ଷ୍ୟରେ ଦିନେଶ ଦୋକାନ କ୍ୟାସବାକ୍ସରୁ ଟଙ୍କା ଚୋରିକରୁଥିବା ବେଳେ ମାନସ ଦିନେଶକୁ ଅକଥନୀୟ ମାଡମାରି ବେହୋସକରି ଦୋକାନର ଏକ କୋଣରେ ପକାଇଦେଇଥିଲା। ପରେ ମାନସ ବାପା ସନ୍ତୋଷ ବେହେରାଙ୍କୁ ଡାକି ଦିନେଶକୁ ପୁନର୍ବାର ପ୍ରବଳମାଡ ମାରିବାପରେ ଘଟଣାସ୍ଥଳରେ ନାବାଳକର ଜୀବନ ଚାଲିଯାଇଥିଲା। ପରେ ଉକ୍ତ ରାତିରେ ଉଭୟ ବାପପୁଅ ଦିନେଶର ମୃତଶରୀରକୁ ନେଇ ଦୋକାନ ପଛପାଖରେ ଥିବା ଏକ ଅର୍ଦ୍ଧନିର୍ମିତ ପକ୍କାଘରେ ପକାଇଦେଇଥିଲେ। ଯାହା ପୋଲିସ ଜେରାସମୟରେ ବାପପୁଅ ସ୍ୱୀକାର କରିଥିଲେ। ପରିବାର ଲୋକେ ଦିନେଶକୁ ନପାଇ ଶେଷରେ ବରହମପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପରଦିନ ଅର୍ଥାତ୍ ଶନିବାର ଦିନେଶର ମୃତଶରୀର ଉକ୍ତ ପକ୍କାଘର ପଡିଥିବାର ଦେଖିବାକୁ ପାଇଥିଲେ। ତେବେ ଏହି ଘଟଣାରେ ଦୋକାନୀ ମାନସର ହାତରହିଥିବା ସନ୍ଦେହ ଘନୀଭୂତ ହେବାପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଉତ୍ୟକ୍ତଲୋକେ ଦୋକାନ ଭଙ୍ଗାରୁଜା କରିବାସହିତ ବାପପୁଅକୁ ସର୍ବସାଧାରଣରେ ଫାଶୀଦେବାକୁ ଅଡିବସିଥିଲେ। ଶେଷରେ ରାତିପ୍ରାୟ ୧୧ଟା ସମୟରେ ପୋଲିସର ହସ୍ତକ୍ଷେପପରେ ଶବକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ହସ୍ପିଟାଲ ନିଆଯାଇଥିଲା। ଆଜି ପୋଷ୍ଟମଟମ୍ ପରେ ପରିବାରବର୍ଗକୁ ହସ୍ତାନ୍ତର ସହିତ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ନୀଳଗିରି ଏସଡିପିଓ ନିର୍ମଳା ଗୋଚ୍ଛାୟତ ପ୍ରକାଶ କରିଛନ୍ତି। ଏନେଇ ବରହମପୁର ଥାନାରେ ୧୪୮/୨୬ରେ ହତ୍ୟାମାମଲା ରୁଜୁହୋଇ ଅଧିକ ତଦନ୍ତ ଜାରିରହିଥିବା ପୋଲିସ ପ୍ରକାଶ କରିଛି.



