ଓଡିଶା

କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ, ବନ୍ୟଜନ୍ତୁ ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି ( ଦେବାଶିଷ ଦାଶ ) କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟଜନ୍ତୁ ମାଂସ କାଟୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ତେଣ୍ଡା ୱାଇଲ୍ଡଲାଇଫ୍ ବିଟ୍‌ର ଫରେଷ୍ଟ ଗାର୍ଡଙ୍କ ସମେତ ବନ ବିଭାଗର କର୍ମଚାରୀ ମାନେ ବନାଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ତେଣ୍ଡା (ହୁଡ଼ିସାହି) ନିକଟସ୍ଥ ଏକ ଧାନ କ୍ଷେତରେ ତାର ଫାଶ ବିଛାଯାଇଥିବା ଦେଖିବାକୁ ପାଇଥିଲେ। ପରେ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ମାଂସ କାଟିବାର ଶବ୍ଦ ଶୁଣି ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ତିନି ଜଣ ବ୍ୟକ୍ତି ବନ୍ୟଜନ୍ତୁ ମାଂସ କାଟୁଥିବା ଦେଖିବାକୁ ପାଇଥିଲେ। ବନ ବିଭାଗର କର୍ମଚାରୀଙ୍କୁ ଦେଖି ତିନି ଜଣ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପାଟ୍ରୋଲିଂ ଟିମ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣା ସ୍ଥଳରୁ ବନ୍ୟଜନ୍ତୁ ମାଂସ, ଫାସ, ପନିଖି, କୁରାଢି, ନିକିତି, ଉଘା ଇତ୍ଯାଦିକୁ ଜବଦ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର କାର୍ତ୍ତିକ ସିଂ (୩୦), ରବି ସିଂ (୨୯) ଏବଂ ତେଣ୍ଡା ଗ୍ରାମର ଶିବା ସିଂ (୨୮)। ଜବତ ମାଂସର ପ୍ରଜାତି ଓ ଅନ୍ୟାନ୍ୟ ଫରେନସିକ୍ ତଥ୍ୟ ଜାଣିବା ପାଇଁ ନୀଳଗିରି ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଡକାଯାଇଥିଲା। ନମୁନାଗୁଡ଼ିକୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିର ସେଣ୍ଟର ଅଫ୍ ୱାଇଲ୍ଡଲାଇଫ୍ ପଠାଇ ଦିଆଯାଇଛି। ଏହାର ଚୂଡ଼ାନ୍ତ ଲାବୋରେଟୋରୀ ରିପୋର୍ଟ ଆସିବା ପରେ ଅଦାଲତରେ ଦାଖଲ କରାଯିବ। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ୨୦୨୬-୨୭ ମସିହାରେ ଓ.ଆର୍. କେସ୍ ନଂ ୧୯କେ ରୁଜୁ କରାଯାଇଛି। ଏହି ଚଢ଼ାଉରେ ଫରେଷ୍ଟର ହୃଷୀକେଶ ପ୍ରଧାନ, ଫରେଷ୍ଟ ଗାର୍ଡ ଜୟଲକ୍ଷ୍ମୀ ପୁହାଣ, ରାକେଶ କୁମାର ବାରିକ ଏବଂ ସୁଭାଷ ସିଂ ଓ ସଞ୍ଜୟ କୁମାର ମାଝୀ ପ୍ରମୁଖ ସାମିଲ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button