ଘର ଭାଙ୍ଗିବା ସହ ଟଙ୍କା, ଅଳଙ୍କାର ଲୁଟ୍, ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବାଲେଶ୍ବର ( ଦେବାଶିଷ ଦାଶ ) ଭୂମିହୀନ ପରିବାରର ଘରକୁ ଜୋରଜବରଦସ୍ତ ଭାଙ୍ଗିବା ସହ ଟଙ୍କା ଓ ଅଳଙ୍କାର ନେଇଯାଇଥିବା ନେଇ ରେମୁଣା ଥାନାରେ ଅଭିଯୋଗ ହୋଇଛି। କଲ୍ୟାଣପୁର ପଞ୍ଚାୟତ ପାଳସିଆ ଗ୍ରାମର ରାମଚନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଦିନମଜୁରି କରି ପରିବାର ଚଳାନ୍ତି। ଭୂମିହୀନ ହୋଇଥିବାରୁ ସେମାନେ ଦୁଇ ପୁଅ ଓ ଝିଅଙ୍କୁ ନେଇ ସରକାରୀ ଜାଗାରେ ଏକ କୁଡ଼ିଆ ଘର କରି ରହୁଥିଲେ। ଉକ୍ତ ଜାଗାକୁ ଅନ୍ୟ ଜଣେ ବ୍ୟକ୍ତି ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ଦମ୍ପତି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ତହସିଲଦାରଙ୍କୁ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ବିରୋଧୀ ପକ୍ଷ ଆଜି ମଧ୍ୟାହ୍ନରେ ୭/୮ ଜଣ ଯୁବକଙ୍କୁ ନେଇ ଦିନଦ୍ୱିପହରେ ଘର ଭାଙ୍ଗି ଦେଇଥିବା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ଏଥିସହ ସ୍ତ୍ରୀ ସରସ୍ୱତୀଙ୍କୁ ଦୁର୍ବ୍ୟବହାର କରିବା ସହ ଘରୁ ଟଙ୍କା ଓ ଅଳଙ୍କାର ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ପହଞ୍ଚିବା ବେଳକୁ ସମ୍ପୃକ୍ତ ଯୁବକମାନେ ପଳାଇ ଯାଇଥିଲେ। ଘର ଭାଙ୍ଗିଯିବା ପରେ ଚାରି ପ୍ରାଣୀ କୁଟୁମ୍ବ ନିରାଶ୍ରୟ ଓ ଭୟଭୀତ ହୋଇପଡ଼ିଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ରାମଚନ୍ଦ୍ର ପୁଲିସକୁ ନିବେଦନ କରିଛନ୍ତି।



