ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିବାକୁ ଅପେକ୍ଷାରେ ଶବ!

ବାଲିଗୁଡ଼ା, ୨୦/୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଜୀବିକା ଅନ୍ୱେଷଣରେ ଘରଠାରୁ ହଜାର ହଜାର କିଲୋମିଟର ଦୂର ତାମିଲନାଡୁକୁ ଯାଇଥିବା ଯୁବକଙ୍କ ଜୀବନ ଅଧାବାଟରେ ଥମିଯାଇଥିବା ବେଳେ ଏବେ ତାଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଅର୍ଥାଭାବ ବଡ଼ ପ୍ରତିବନ୍ଧକ ସାଜିଛି। ଗୋଟିଏ ପଟେ ପୁଅକୁ ହରାଇବାର ଅସହ୍ୟ ଦୁଃଖ, ଅନ୍ୟପଟେ ଶେଷଥର ପାଇଁ ପୁଅର ମୁହଁ ଦେଖିବାକୁ ଅସମର୍ଥ ବାପାଙ୍କ ଅସହାୟତା ଅଞ୍ଚଳ ବାସୀ ଙ୍କୁ ମର୍ମାହତ କରିଛି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ୨୨ ବର୍ଷୀୟ ଯୁବକ ଆଖନ ଦିଗାଲ ଗତ ପାଞ୍ଚ ମାସ ତଳେ ରୋଜଗାର ଆଶାରେ ତାମିଲନାଡୁ ରାଜ୍ୟକୁ ଯାଇଥିଲେ। ସେଠାରେ ତିରୁଭାଲ୍ଲୁର ଜିଲ୍ଲାର ସିଡକ ଅଞ୍ଚଳର ଫେଜ୍-୩ରେ ଥିବା ଫଷ୍ଟିଭାଲ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଲୁହା କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଏବଂ ଘରର ଅଭାବ ଦୂର କରିବା ଆଶାରେ ସେ ଘରଠାରୁ ଦୂରରେ ରହି କାର୍ଯ୍ୟ କରୁଥିଲେ। ତେବେ ଗତ କିଛିଦିନ ହେବ ତାଙ୍କ ଶରୀର ଅସୁସ୍ଥ ରହିଥିଲା। ଏହାରି ମଧ୍ୟରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ତାଙ୍କ ସହିତ ରହୁଥିବା ବନ୍ଧୁମାନେ ଫୋନ୍ ଯୋଗେ ଏହି ଦୁଃଖଦ ଖବର ପରିବାରବର୍ଗଙ୍କୁ ଜଣାଇଥିଲେ। ଖବର ପାଇବା ପରଠାରୁ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମାତ୍ର ୨୨ ବର୍ଷ ବୟସରେ ପୁଅର ଅକାଳ ବିୟୋଗକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ମୃତ ଆଖନଙ୍କ ପିତା ଆବେଦନ ଦିଗାଲ ଜଣେ ଅଟୋଚାଳକ। ଅଟୋ ଚଳାଇ ଯାହା ରୋଜଗାର କରନ୍ତି, ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏଭଳି ପରିସ୍ଥିତିରେ ତାମିଲନାଡୁରୁ ପୁଅର ମରଶରୀରକୁ ନିଜ ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଯେଉଁ ପୁଅର ରୋଜଗାରରେ ପରିବାରର ଦୁଃଖ ଦୂର ହେବ ବୋଲି ଆଶା ରଖିଥିଲେ, ଆଜି ସେହି ପୁଅର ଶେଷକୃତ୍ୟ ପାଇଁ ମଧ୍ୟ ଅନ୍ୟର ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର। ଏହି ଘଟଣାକୁ ନେଇ କିଲୁପାଙ୍ଗା ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀ ଓ ସମାଜସେବୀ ପ୍ରମୋଦ ମଲିକ ଜିଲ୍ଲା ପ୍ରଶାସନଙ୍କ ନିକଟରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ତାମିଲନାଡୁରୁ ମୃତ ଯୁବକଙ୍କ ଶବକୁ ନିଜ ଗ୍ରାମକୁ ଆଣିବା ପାଇଁ ପରିବହନ ବ୍ୟବସ୍ଥା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଜୀବିକା ପାଇଁ ରାଜ୍ୟ ବାହାରକୁ ଯାଇ ଜୀବନ ହରାଉଥିବା ଗରିବ ଶ୍ରମିକଙ୍କ ପରିବାରକୁ ଏଭଳି ସଙ୍କଟ ସମୟରେ କିଏ ସହାୟତାର ହାତ ବଢ଼ାଇବ? ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଅସହାୟ ପରିବାରକୁ ସହାୟତା ଯୋଗାଇଦେବା ସହ ମୃତଦେହକୁ ସମ୍ମାନର ସହ ଜନ୍ମମାଟିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଦାଦନ ଯନ୍ତ୍ରଣାର ଏହି କରୁଣ କାହାଣୀ ପୁଣିଥରେ କନ୍ଧମାଳରେ ଦାଦନ ସମସ୍ୟାର ଭୟାବହତାକୁ ସାମ୍ନାକୁ ଆଣିଛି।



