ଓଡିଶା

କୁକୁର ଗୋଡ଼ାଇବାରୁ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ମାଙ୍କଡ଼ର ମୃତ୍ୟୁ 

ସଂକୀର୍ତ୍ତନ ଶୋଭାଯାତ୍ରାରେ ଶେଷ ବିଦାୟ

ବାଲେଶ୍ବର ( ଦେବାଶିଷ ଦାଶ ) ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ଭଲପାଇବା ଓ ମାନବିକତାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ତେନ୍ତୁଳିଦା ଗ୍ରାମପଞ୍ଚାୟତର ଜୁଣୁଦା ଗ୍ରାମରେ। ଏକ ମାଙ୍କଡ଼ର ଅକାଳ ମୃତ୍ୟୁ ପରେ ଗ୍ରାମବାସୀ ତାକୁ ଯଥାବିଧି ସମ୍ମାନର ସହ ବିଦାୟ ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ ଗ୍ରାମରେ ଏକ ମାଙ୍କଡ଼କୁ କିଛି କୁକୁର ଗୋଡ଼ାଇଥିଲେ। କୁକୁରଙ୍କ କବଳରୁ ରକ୍ଷା ପାଇବା ପାଇଁ ଭୟଭୀତ ମାଙ୍କଡ଼ଟି ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ଯାଇଥିଲା। ତେବେ ଦୁର୍ଭାଗ୍ୟବଶତଃ ଖୁଣ୍ଟରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଙ୍କଡ଼ଟିର ମୃତ୍ୟୁ ଘଟିଥିଲା।

ମାଙ୍କଡ଼ର ମୃତ୍ୟୁ ଖବର ପାଇ ଗ୍ରାମର ଲୋକମାନେ ଏକତ୍ରିତ ହୋଇଥିଲେ। ମୃତ ମାଙ୍କଡ଼ଟିକୁ କେବଳ ଏକ ଜୀବ ଭାବେ ନୁହେଁ, ବରଂ ଗ୍ରାମର ଏକ ଅଂଶ ଭାବେ ବିଚାର କରି ତାକୁ ଶେଷ ସମ୍ମାନ ଜଣାଇବାକୁ ଆଗେଇ ଆସିଥିଲେ। ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ମୃତ ମାଙ୍କଡ଼ଟିକୁ ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଗାଁ ମୁଣ୍ଡରେ ଥିବା ପଡ଼ିଆରେ ଗାତ ଖୋଳାଯାଇ ସେଥିରେ ଲୁଣ ଦେଇ ଯଥାବିଧି ମାଙ୍କଡ଼ଟିକୁ ପୋତି ଦିଆଯାଇଥିଲା।

ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟ ସେବକ ବସନ୍ତ ପଣ୍ଡାଙ୍କ ସମେତ ବୁଦ୍ଧିଆ ଦାସ, ବାବୁ ଦାସ, ବିଜୟ ଦାସ, ବୁଦ୍ଧିଆ ସିଂ, ରାଜେଶ ଦାସ, ଶ୍ରୀଧର ଦାସ ଓ ରତ୍ନାକର ପଣ୍ଡା ଏବଂ ଗ୍ରାମର ଅନେକ ଛୋଟ ଛୋଟ ପିଲା ଉତ୍ସାହର ସହ ଭାଗ ନେଇଥିଲେ। ଏକ ନିରୀହ ଜୀବର ମୃତ୍ୟୁ ପରେ ଗ୍ରାମବାସୀଙ୍କ ଏଭଳି ସମ୍ମାନଜନକ ବିଦାୟ ମଣିଷ ଓ ପ୍ରାଣୀଜଗତ ମଧ୍ୟରେ ଥିବା ଆତ୍ମୀୟତା, ଦୟା ଓ ଜୀବପ୍ରେମର ଏକ ଉଦାହରଣ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button