ପରିତ୍ୟକ୍ତ ଅବସ୍ଥାରେ ବାଲିଆପାଳ ଅନ୍ନପୂର୍ଣ୍ଣା ହଲ୍

ବାଲେଶ୍ବର ( ଦେବାଶିଷ ଦାଶ ) ପରିତ୍ୟକ୍ତ ଅବସ୍ଥାରେ ବାଲିଆପାଳ ଅନ୍ନପୂର୍ଣ୍ଣା ହଲ୍ । ଦିନେ ଯେଉଁଠି ଦର୍ଶକଙ୍କ କୋଳାହଳରେ ସିନେମା ଗୀତର ମଧୁର ସ୍ବର ଓ ଲୋକଙ୍କ ଭିଡ଼ରେ କମ୍ପୁଥିଲା ପରିସର, ଆଜି ସେଠାରେ ଖାଁ ଖାଁ। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ବାଲିଆପାଳ ବ୍ଳକର ଅନ୍ନପୂର୍ଣ୍ଣା ସିନେମା ହଲ । ୨୦୨୧ ମସିହାରେ ‘ଦବଙ୍ଗ-୩’ ଚଳଚ୍ଚିତ୍ର ପ୍ରଦର୍ଶନ ହେବା ପରଠାରୁ ଏଠାରେ ଆଉ ପରଦା ଖୋଲିନି। ପରିବାର ସହ ଏକାଠି ସିନେମା ଦେଖିବା ପାଇଁ ଲୋକେ ବାଲେଶ୍ବର ସହରକୁ ଆସିବାକୁ ପଡ଼ୁଛି। ନୂଆରୂପରେ ମଲ୍ଟିପ୍ଲେକ୍ସ କମ୍ପ୍ଲେକ୍ସ ଭାବେ ଉକ୍ତ ସିନେମା ହଲ ପୁଣି ଥରେ ଖୋଲିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।ସୂଚନା ଥାଉକି, ୧୯୮୬ ମସିହାରେ ବାଲିଆପାଳ ଅଞ୍ଚଳର ମନୋରଞ୍ଜନ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା ଅନ୍ନପୂର୍ଣ୍ଣା ସିନେମା ହଲ୍। ଏହି ହଲ୍ରେ ପ୍ରଥମେ ବଡ଼ ପରଦା ପ୍ରଦର୍ଶିତ ହୋଇଥିଲା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ‘ସବୁ ମାୟାରେ ବାୟା’। ସେତେବେଳେ ଚଳଚ୍ଚିତ୍ର ଦେଖିବା ପାଇଁ ବାଲିଆପାଳ ସମେତ ଆଖପାଖ ଅଞ୍ଚଳରୁ ବହୁ
ଦର୍ଶକଙ୍କ ସମାଗମ ହେଉଥିଲା। ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଥିଲା ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ। ଦୀର୍ଘ ୩୪ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନର ମାଧ୍ଯମ ପାଲଟିଥିବା ଏହି ସିନେମା ହଲ୍ । ୨୦୨୦ ମସିହାରେ ଶେଷ ଥର ପାଇଁ ପ୍ରଦର୍ଶିତ ହୋଇଥିଲା ସଲମାନ ଖାନ୍ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଦବଙ୍ଗ-୩’। ଏହା ପରେ ଆଉ ଆଲୋକିତ ହୋଇନାହିଁ ସିନେମା ହଲ୍ର ପରଦା । ଧୀରେ ଧୀରେ ବନ୍ଦ ହୋଇଗଲା ଦର୍ଶକଙ୍କ ଆଗମନ, ନିରବ ହୋଇଗଲା ଚଳଚ୍ଚିତ୍ର ପ୍ରଦର୍ଶନର ଶବ୍ଦ। ସ୍ମାର୍ଟଫୋନ୍ର ବହୁଳ ପ୍ରଚଳନ, ଇଣ୍ଟରନେଟ୍ ଓ ଓଟିଟି ପ୍ଲାଟଫର୍ମରେ ଘରେ ବସି ଚଳଚ୍ଚିତ୍ର ଦେଖୁବାର ସୁବିଧା ଯୋଗୁଁ ଲୋକେ ପାରମ୍ପରିକ ସିନେମା ହଲ୍ଠାରୁ ଧୀରେ ଧୀରେ ଦୂରେଇ ଯାଇଥିଲେ । ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆର୍ଥିକ ସଙ୍କଟ ମଧ୍ଯ ବଢ଼ିଥିଲା। ଫଳରେ ବାଧ୍ୟ ହୋଇସିନେମା ହଲ୍କୁ ବନ୍ଦ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନର ସମୟରେ ମଲ୍ଟିପ୍ଲେକ୍ସ କମ୍ପ୍ଲେକ୍ସ ସହ ସଫି ମଲ୍, ଆଧୁନିକ ସୁବିଧା ଓ ଆକର୍ଷଣୀୟ ପରିବେଶ ଦର୍ଶକଙ୍କୁ ସିନେମା ଦେଖୁବା ପାଇଁ ପୁଣି ଆକୃଷ୍ଟ କରୁଛି। କିନ୍ତୁ ବାଲିଆପାଳ ଭଳି ଅଞ୍ଚଳରେ ଏକଦା ମନୋରଞ୍ଜନର ମୁଖ୍ୟ କେନ୍ଦ୍ର ଥୂବା ଅନ୍ନପୂର୍ଣ୍ଣା ସିନେମା ହଲ୍ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି ସିନେମା ହଲ୍ର ପୁନରୁଦ୍ଧାର ହେଲେ ବାଲିଆପାଳ ଅଞ୍ଚଳର ଲୋକଙ୍କୁ ନିଜ ଅଞ୍ଚଳରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ସମ୍ଭାବନା ମଧ୍ଯ ସୃଷ୍ଟି ହୋଇପାରିବ। ସରକାରୀ ସହାୟତା ଓ ଆବଶ୍ୟକ ପ୍ରୋତ୍ସାହନ ମିଳିଲେ ପୁଣି ଥରେ ସିନେମା ହଲ୍କୁ ଚାଲୁ କରିବା ପାଇଁ ଚେଷ୍ଟା କରିବେ ବୋଲି ଏହାର ମାଲିକ କାର୍ଷିକ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଅନ୍ନପୂର୍ଣ୍ଣା ସିନେମା ହଲ୍ର ପୁନରୁଦ୍ଧାର ହୋଇ ପୁଣି ଥରେ ଏହାର ପରଦାରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉ ବୋଲି ଅଞ୍ଚଳବାସୀଙ୍କ ଆଶା ବାନ୍ଧିଛନ୍ତି।



