ଓଡିଶା
ନକଲି ଲଟେରୀ ଟିକେଟ୍ ବିକ୍ରି ଅଭିଯୋଗରେ ୫ ଗିରଫ

ବାଲେଶ୍ବର ( ଦେବାଶିଷ ଦାଶ ) ନକଲି ଲଟେରୀ ଟିକେଟ୍ ବିକ୍ରି କରି ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଳେଶ୍ୱର ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଏଭଳି ନକଲି ଲଟେରୀ ଟିକେଟ୍ କାରବାର ଚାଲିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ବିଶେଷକରି ଷ୍ଟେସନ ବଜାର, ଝାଡ଼େଶ୍ୱରପୁର ଓ ମଧୁସୂଦନ ଗଳି ଅଞ୍ଚଳରେ ଏହି କାରବାର ଚାଲିଥିବା ଖବର ପାଇ ଜଳେଶ୍ୱର ଥାନା ଆଇଆଇସି ମୁକୁନ୍ଦ ମୁରାରୀ ପାତ୍ରଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ୫ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବହୁ ନକଲି ଲଟେରୀ ଟିକେଟ୍, ନଗଦ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ନକଲି ଲଟେରୀ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ଚେର କେତେ ଦୂର ବ୍ୟାପିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।



