ଓଡିଶା

ବାବେବିରା ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ବରଗଡ, ୨୬.୧୧ (ସୁରେନ୍ଦ୍ର କଠାର) ବାବେବିରା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସମ୍ବିଧାନ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନଜୀବୀ ଦିବ୍ୟ କିଶୋର ମିଶ୍ର ଯୋଗଦେଇଥିଲେ।

 

ପ୍ରଧାନ ଶିକ୍ଷକ ଅମୃତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଓକିଲ ପ୍ରଧାନ ଏବଂ ସୁଦିପ୍ତ ସାହୁ ନିଜ ନିଜର ବକ୍ତବ୍ୟ ରଖିଥିଲେ।

 

ମୁଖ୍ୟଅତିଥି ଶ୍ରୀ ମିଶ୍ର କହିଲେ, ଆମ ସମ୍ବିଧାନ ହେଉଛି ଆମ ଦେଶର ଆତ୍ମା। ୧୯୪୯ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ଗୃହୀତ ହୋଇଥିଲା। ଡ଼. ବି. ଆର୍. ଆମ୍ବେଦକରଙ୍କ ନେତୃତ୍ୱରେ ଏହା ପ୍ରସ୍ତୁତ ହୋଇଥିଲା। ସମ୍ବିଧାନ ଆମକୁ ସ୍ୱାଧୀନତା, ସମାନତା, ନ୍ୟାୟ ଓ ଭାଇଚାରାର ଅଧିକାର ଦେଇଛି। ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେଉଛି ସମ୍ବିଧାନକୁ ମାନିବା ଓ ତାହାକୁ ରକ୍ଷା କରିବା।

 

ସେ ଆହୁରି କହିଲେ, ଛାତ୍ରଛାତ୍ରୀମାନେ ଆଜି ଠାରୁ ହିଁ ସମ୍ବିଧାନର ମୂଲ୍ୟବୋଧକୁ ଜୀବନରେ ଆପଣାଇବା ଦରକାର। ସତ୍ୟ କହିବା, ନିୟମ ମାନିବା, ସମସ୍ତଙ୍କୁ ସମ୍ମାନ କରିବା ହିଁ ଭଲ ନାଗରିକର ପରିଚୟ। ପାଠ ପଢ଼ିବା ସହ ମଣିଷ ହେବା ହିଁ ପ୍ରକୃତ ଶିକ୍ଷା।

 

ଶିକ୍ଷକ ଓକିଲ ପ୍ରଧାନ ଓ ସୁଦିପ୍ତ ସାହୁ ସମ୍ବିଧାନର ପ୍ରସ୍ତାବନା, ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ସରଳ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବାରିକ କହିଲେ, ସମ୍ବିଧାନ ଦିବସ କେବଳ ଗୋଟିଏ ଦିନର ପାଳନ ନୁହେଁ, ଏହାକୁ ପ୍ରତିଦିନ ଜୀବନରେ ପାଳନ କରିବା ଦରକାର।

 

ଏହି ଅବସରରେ ଛାତ୍ରୀ ସୁବର୍ଣ୍ଣ ସେଠ ଶପଥ ପାଠ କରାଇଥିବା ବେଳେ ଶିକ୍ଷକ ଧିରଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଏକ ସ୍ୱରରେ ସମ୍ବିଧାନର ପ୍ରସ୍ତାବନା ପାଠ କରି ଶପଥ ନେଇଥିଲେ – ଆମେ ଭାରତର ସମ୍ବିଧାନକୁ ମାନିବୁ, ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବୁ।

 

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button