ଡେବ୍ରିଗଡ଼ରେ ବିଦ୍ୟୁତ ଫାଶରେ ସମ୍ବର ଶିକାର, ୨୦ କେଜି ମାଂସ ସହ ଦୁଇ ଶିକାରୀ ଗିରଫ

ରେଙ୍ଗାଲିକ୍ୟାମ୍ପ , ତା ୨୬/୧୧( ବିନାୟକ ନିୟୁଜ୍): ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବା ଦିଗରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା ଅଭିଯୋଗରେ ଆଣ୍ଟି ପୋଚିଂ ସ୍କ୍ବାଡ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପାହାର ଶ୍ରିଗିଡା ପଞ୍ଚାୟତ ରେଙ୍ଗାଲି ଗ୍ରାମର ବିର୍ସା ମାଝୀ (୫୫) ଏବଂ ଶତ୍ରୁଘ୍ନ ଭୁଏ (୪୮)।
ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୪ ତାରିଖ ରାତିରେ ଡେବ୍ରିଗଡ଼ ଅଭୟାରଣ୍ୟର କମଗାଁ ୱାଇଲ୍ଡଲାଇଫ ରେଞ୍ଜର ଆଣ୍ଟି ପୋଚିଂ ସ୍କ୍ବାଡ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରେଙ୍ଗାଲି ଗାଁ ନିକଟରେ ବିଦ୍ୟୁତ ଫାଶ ବିଛାଯାଇଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ସୂଚନା ପାଇବା ମାତ୍ରେ ବନ ବିଭାଗ ଟିମ୍ ତୁରନ୍ତ ସେଠାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା।ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୨୦ କେଜି ସମ୍ବର ମାଂସ, ଚମଡ଼ା ଓ ଶରୀରର ଅନ୍ୟାନ୍ୟ ଅଂଶ ଜବତ କରାଯାଇଛି। ଏହା ସହିତ ମାଂସ କାଟିବାରେ ବ୍ୟବହୃତ କଟୁରୀ, କୁରାଢ଼ି, ଓଜନ ମେଶିନ, ୫ କେଜି ବିଦ୍ୟୁତ ତାର, ୧୨ ଭୋଲ୍ଟର ୧୦୦ ଏଏଚ୍ ବ୍ୟାଟେରୀ ଏବଂ ଏକ ଇନଭର୍ଟର ମଧ୍ୟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ନିଜ ଚାଷ ଜମି ନିକଟରେ ବିଦ୍ୟୁତ୍ ତାର ବିଛାଇଥିଲେ। ଏଥିରେ ଲାଗି ସମ୍ବରର ମୃତ୍ୟୁ ଘଟିବା ପରେ ସେମାନେ ମୃତଦେହକୁ କାଟି ମାଂସ ପ୍ରସ୍ତୁତ କରୁଥିଲେ।
ଅନ୍ୟପଟେ, ସେହି ନାଇଟପାଟ୍ରୋଲିଂ ସମୟରେ କମଗାଁ ନିକଟରୁ ବନ ବିଭାଗ ଆଉ ୪ କେଜି ବିଦ୍ୟୁତ ତାର ଜବତ କରିଛି, ଯାହାଦ୍ୱାରା ଆଉ ଏକ ସମ୍ଭାବ୍ୟ ବନ୍ୟଜନ୍ତୁ ଶିକାର ଘଟଣାକୁ ସଫଳତାର ସହ ରୋକାଯାଇପାରିଛି।
ସେହିପରି ଗତ ୨୧ ତାରିଖରେ ଅତାବିରା ବ୍ଲକ୍ , ଖରମୂଣ୍ଡା ପଞ୍ଚାୟତ ର ବାରପାହାଡ ତଳେ ଥିବା ଗଡ଼ଗଡଦଳା ଗ୍ରାମରେ ବାରହା ମାଂସ ରୋଷେଇ କରି ଖାଇବା ସମୟରେ ତିନି ଜଣ ଗିରଫ ହୋଇଥିଲେ ବନ ବିଭାଗ ହାତରେ । ବିଦ୍ୟୁତ୍ ତାରରେ କରେଣ୍ଟ ଦେଇ ବାରହା ଶିକାର କରିଥିବା ପ୍ରକାଶ କରିଥିଲେ । ଏମାନଙ୍କ ଠାରୁ ମାଂସ , ବିଦ୍ୟୁତ୍ ତାର, ଗୋଟିଏ ପ୍ଲାସ ଓ ଗୋଟିଏ ଟାଙ୍ଗିଆ ମଧ୍ୟ ଜବତ କରାଯାଇଥିଲା ।ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ରୁନି ପାଳି ଗ୍ରାମର ବୃନ୍ଦାବନ ଭୁଏ(୫୮), ବିନୟ ଭୁଏ (୨୮) ଓ ପ୍ରଦୀପ ଧରୁଆ (୪୬) ।ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ଧରିବା ପାଇଁ ବରଗଡ ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, କମଗାଁ ଫରେଷ୍ଟର କୈଳାଶ ମାଝୀ,ଅଶ୍ୱିନୀ କୁମାର ଭୋଇ, ଗୌରବ ସଙ୍କେତ ପାଢ଼ୀ,ରିତ ରେହେନା ମିଳିତ ଭାବେ ଉଦ୍ୟମ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଗାଁ ଭିତରକୁ ବାଘ ପଶି ଆସୁଥିବା ଘଟଣା ପରେ ବନ ବିଭାଗ ପକ୍ଷରୁ ଅଞ୍ଚଳରେ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଏହି ପାଟ୍ରୋଲିଂ ସମୟରେ ହିଁ ଶିକାରୀ ଦଳ ଧରାପଡ଼ିଛନ୍ତି। ବର୍ତ୍ତମାନ ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକରେ ବନ ବିଭାଗ ପକ୍ଷରୁ ଦିନରାତି ପାଟ୍ରୋଲିଂ, ରାତ୍ରିକାଳୀନ ନଜରଦାରୀ ଏବଂ ଗୁପ୍ତ ସୂଚନା ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।



