ଓଡିଶା

ବାଗୁରାଇ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କଲେ ଜିଲ୍ଲାପାଳ,ଦ୍ରୁତ ନିର୍ମାଣ ପାଇଁ ନିର୍ଦ୍ଦେଶ

ଭଦ୍ରକ🙁କମଳାକାନ୍ତ ପଣ୍ଡା ):ଭଦ୍ରକ ବ୍ଲକ ଅନ୍ତର୍ଗତ ବାଗୁରାଇ ଠାରେ ନିର୍ମାଣାଧୀନ ମଲ୍ଟିପର୍ପୋଜ୍ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଗତକାଲି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରର ବିଭିନ୍ନ ଅଂଶ ବୁଲି ଦେଖିଥିଲେ। ଖେଳାଳିମାନଙ୍କ ପାଇଁ ଚେଞ୍ଜିଂ ରୁମ୍, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା, ନିଷ୍କାସନ ବ୍ୟବସ୍ଥା ଓ ପାର୍କିଂ ସ୍ଥାନ ଆଦି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିସ୍ତୃତ ସୂଚନା ନେଇଥିଲେ।ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣବତ୍ତା ସହ ଶେଷ କରିବାକୁ ଜିଲ୍ଲାପାଳ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ପ୍ରକାର ନିମ୍ନ ମାନର ସାମଗ୍ରୀ ବ୍ୟବହାର ନ କରିବା, ସମୟ ଅନୁସାରେ କାମ ସାରିବା ଏବଂ ନିୟମିତ ତଦାରଖ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ଏହି ଇନଡୋର କମ୍ପ୍ଲେକ୍ସ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ବାଗୁରାଇ ସହ ଆଖପାଖ ଅଞ୍ଚଳର ଯୁବକ-ଯୁବତୀ ଓ କ୍ରୀଡ଼ାବିତ୍ ମାନେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍, ଜିମ୍,କବାଡି ଓ ଅନ୍ୟାନ୍ୟ ଇନଡୋର ଖେଳ ପାଇଁ ଉତ୍ତମ ସୁବିଧା ପାଇବେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ହେବା ସହ ଯୁବପିଢ଼ି କ୍ରୀଡ଼ା ପ୍ରତି ଆକୃଷ୍ଟ ହେବେ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦେବବ୍ରତ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button