ଓଡିଶା

ଓଡ଼ିଶାରେ ୩,୮୧୦ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ, ୧୦ ଜିଲ୍ଲାରେ ସୃଷ୍ଟି ହେବ ୧୧,୨୫୦ ନିଯୁକ୍ତି ସୁଯୋଗ

ପର୍ଯ୍ୟଟନଠାରୁ ଧାତୁ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ୧୯ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର:-ଓଡ଼ିଶାର ଶିଳ୍ପାୟନ ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୩,୮୧୦ କୋଟି ଟଙ୍କାର ୧୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବା ସହ ମୋଟ ୧୧,୨୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆଶା ରହିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି। ପର୍ଯ୍ୟଟନ, ବୟନଶିଳ୍ପ, ଧାତୁ ଶିଳ୍ପ, ସ୍ୱାସ୍ଥ୍ୟସେବା, ଶକ୍ତି ଓ ଆଧୁନିକ ଉତ୍ପାଦନ କ୍ଷେତ୍ରରେ ଏହି ନିବେଶ ହେବ। ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲା ଏହି ନିବେଶରୁ ଉପକୃତ ହେବେ। ପର୍ଯ୍ୟଟନ କ୍ଷେତ୍ରରେ ୬୦୭ କୋଟି ଟଙ୍କାର ୭ଟି ପ୍ରକଳ୍ପ ମାଧ୍ୟମରେ ୧,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୋରାପୁଟରେ ସଚେତି ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ୧୨୧ କୋଟି ଟଙ୍କାରେ ପାଞ୍ଚତାରକା ରିସର୍ଟ ଏବଂ ଟିଭିଆର୍ ଇଷ୍ଟେଟ୍ସ ଆଣ୍ଡ ରିସର୍ଟସ୍ ୧୦୪ କୋଟି ଟଙ୍କାରେ ଚାରିତାରକା ଇକୋ ରିସର୍ଟ ଓ ୱେଲନେସ୍ ସେଣ୍ଟର ସ୍ଥାପନ କରିବ। ନିଲାଦ୍ରି ହୋଟେଲ୍ସ ଆଣ୍ଡ ରିସର୍ଟସ୍ ୭୨ କୋଟି ଟଙ୍କାରେ ଏକ ଚାରିତାରକା ୱେଲନେସ୍ ରିସର୍ଟ ନିର୍ମାଣ କରିବ। କଟକରେ ନିଖିଲ ଆସୋସିଏଟ୍ସ ୮୨ କୋଟି ଟଙ୍କାରେ ଚାରିତାରକା ହୋଟେଲ ଏବଂ ଝାରସୁଗୁଡ଼ାରେ ଆଲଟୋନ୍ ରିସୋର୍ସେସ୍ ୮୦ କୋଟି ଟଙ୍କାରେ ଚାରିତାରକା ରିସର୍ଟ ସ୍ଥାପନ କରିବ। ବୟନ ଓ ପୋଷାକ ଶିଳ୍ପରେ ବଡିକେୟାର କ୍ରିଏସନ୍ସ ଲିମିଟେଡ୍ ଖୋର୍ଦ୍ଧାରେ ୨୨୫ କୋଟି ଟଙ୍କା ନିବେଶ କରି ଏକ ବୃହତ୍ ପୋଷାକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଧାତୁଭିତ୍ତିକ ଶିଳ୍ପରେ ତିନୋଟି ପ୍ରକଳ୍ପ ପାଇଁ ୫୨୫.୧୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍ସ ଲିମିଟେଡ୍ ସୁନ୍ଦରଗଡ଼ରେ ୨୫୦ କୋଟି ଟଙ୍କାରେ LSAW କାର୍ବନ ଷ୍ଟିଲ୍ ପାଇପ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। କ୍ୱାଲଭିଅନ୍ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୨୧୭.୬୭ କୋଟି ଟଙ୍କାରେ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ଓ ଯନ୍ତ୍ରପାତି ନିର୍ମାଣ ୟୁନିଟ୍ ସ୍ଥାପନ କରିବ। ବୈଦ୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ଭାରୀ ଇସ୍ପାତ ନିର୍ମାଣ ଓ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂ ୟୁନିଟ୍ ପ୍ରତିଷ୍ଠା କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍ ଝାରସୁଗୁଡ଼ାରେ ୩୧୧.୫୨ କୋଟି ଟଙ୍କା ନିବେଶ କରି ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ ସ୍ଥାପନ କରିବ। ଖୋର୍ଦ୍ଧାରେ ପେଣ୍ଟାୱାନ୍ ଲାଇଫ୍‌କେୟାର ପ୍ରାଇଭେଟ୍ ଲିମିଟେଡ୍ ସ୍ୱାସ୍ଥ୍ୟସେବା ସାମଗ୍ରୀ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ନୂତନ ଓ ସବୁଜ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିବେଶ ପ୍ରସ୍ତାବ ରହିଛି। ଇଭି ଇନୋଭେଜିକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କେନ୍ଦ୍ରାପଡ଼ାରେ ୫୨ କୋଟି ଟଙ୍କା ବିନିଯୋଗ କରି ସୌରଶକ୍ତି ଚାଳିତ ବୈଦ୍ୟୁତିକ ଡଙ୍ଗା ଉତ୍ପାଦନ କାରଖାନା ସ୍ଥାପନ କରିବ। ନେଟ୍ ଜିରୋ ରିନ୍ୟୁଏବଲ୍ସ ଏଲ୍‌ଏଲ୍‌ପି ସୁନ୍ଦରଗଡ଼ରେ ଏକ ରିସାଇକ୍ଲିଂ ୟୁନିଟ୍ ପ୍ରତିଷ୍ଠା କରିବ। ବିଦ୍ୟୁତ୍ କ୍ଷେତ୍ରର ଦୁଇଟି ପ୍ରକଳ୍ପ ପାଇଁ ମୋଟ ୧,୩୯୫.୭୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି, ଯାହା ମାଧ୍ୟମରେ ୧,୨୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଏହାବ୍ୟତୀତ ଏନର୍ଗନ୍ ପଲିମାଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ପଲିପ୍ରୋପିଲିନ୍ ବୁଣା ବସ୍ତା ଓ ବ୍ୟାଗ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହି ନୂତନ ଶିଳ୍ପ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଶିଳ୍ପଭିତ୍ତିକ ଭିତ୍ତିଭୂମି ସୁଦୃଢ଼ ହେବା ସହ ନିଯୁକ୍ତି, ଦକ୍ଷତା ବିକାଶ ଓ ଆଞ୍ଚଳିକ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଦିଗ ମିଳିବା ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button