ଆନ୍ତର୍ଜାତୀୟ ବାଲ୍ୟ ଓ ବାଧ୍ୟତାମୂଳକ ବିବାହ ମୁକ୍ତ ଦିବସ ପାଳିତ
ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ସମୂହ ଶପଥ ପାଠ

ଯାଜପୁର, ୨୭/୧୧: (ବିନାୟକ ନିୟୁଜ୍) ଆନ୍ତର୍ଜାତୀୟ ବାଲ୍ୟ ଓ ବାଧ୍ୟତାମୂଳକ ବିବାହ ମୁକ୍ତ ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଦିଗରେ ସମସ୍ତେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ସମୂହ ଶପଥ ପାଠ କରିଥିଲେ।
ସେହିପରି ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ମାଳଆନନ୍ଦପୁରସ୍ଥିତ ଉତ୍ତରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅତିଥି ଭାବେ ଯାଜପୁର ଏସ୍ଡିପିଓ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି (CWC) ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU) ପକ୍ଷରୁ ଶ୍ରୀ ତପନ କୁମାର ପାତ୍ର ଯୋଗଦେଇଥିଲେ।
ଅତିଥିମାନେ ୨୦୦୬ ମସିହାର ବାଲ୍ୟ ବିବାହ ନିଷେଧ ଆଇନ, ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଏବଂ ଚଳିତ ବର୍ଷଠାରୁ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ବାଲ୍ୟ ଓ ବାଧ୍ୟତାମୂଳକ ବିବାହ ମୁକ୍ତ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଅଧିକାର ଏବଂ ଏହାର ନିରାକରଣ ପାଇଁ ସମାଜର ସମସ୍ତ ବର୍ଗର ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦିବସର ମହତ୍ତ୍ୱ ଆଧାରିତ ସଚେତନତାମୂଳକ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନନି ଗୋପାଳ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲ୍ୟ ବିବାହ ଓ ବାଧ୍ୟତାମୂଳକ ବିବାହ ଭଳି ସାମାଜିକ ବ୍ୟାଧିର ମୂଳୋତ୍ପାଟନ କରି ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ସୁଯୋଗ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।



