ପ୍ରଥମ ଅନ୍ତର୍ଜାତୀୟ ବାଲ୍ୟ, ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ନିରାକରଣ ଦିବସ ପାଳିତ: ବାଲ୍ୟବିବାହ ମୁକ୍ତ ଯାଜପୁର ଓ ଭାରତ ଗଠନ ପାଇଁ ସାମୂହିକ ସଂକଳ୍ପ
ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜନସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ; ୩୫୨ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ

ଯାଜପୁର, ୨୭/୧୧/୨୦୨୬: (ବିନାୟକ ନିୟୁଜ୍) ପ୍ରଥମ ଅନ୍ତର୍ଜାତୀୟ ବାଲ୍ୟ, ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ନିରାକରଣ ଦିବସ ଅବସରରେ ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଯାଜପୁରସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଏକ ଜିଲ୍ଲାସ୍ତରୀୟ ଜନସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା।
ଏହି ସଭାରେ ଯୋଗ ଦେଇଥିବା ଅତିଥିମାନେ ଶିଶୁ ଅଧିକାରର ସୁରକ୍ଷା ଏବଂ ବାଲ୍ୟବିବାହର ସାମାଜିକ, ଶାରୀରିକ ଓ ମାନସିକ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତ୍ୟେକ ଗ୍ରାମସଭା, ବ୍ଲକ ଓ ଜିଲ୍ଲା ସ୍ତରରୁ ସାମୂହିକ ପ୍ରୟାସ ଆରମ୍ଭ କରି ସମଗ୍ର ଭାରତବର୍ଷକୁ ବାଲ୍ୟବିବାହ ମୁକ୍ତ କରିବାର ବୃହତ ଲକ୍ଷ୍ୟ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଗତ ଅକ୍ଟୋବର ୨ ତାରିଖରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାଗୁଡ଼ିକରେ ଗ୍ରହଣ କରାଯାଇଥିବା ସଂକଳ୍ପ ଅନୁଯାୟୀ, ଯାଜପୁର ଜିଲ୍ଲାର ୩୫୨ଟି ଗ୍ରାମକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଗଢ଼ିତୋଳିବା ସହ ଘୋଷଣା କରିବା ଦିଗରେ ଏହି ମିଳିତ ଅଭିଯାନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ବାଲ୍ୟବିବାହ ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପଞ୍ଚାୟତର ଶ୍ରେଷ୍ଠ ସରପଞ୍ଚ, ସି.ଡି.ପି.ଓ, ସୁପରଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତ ଅତିଥି, ସରକାରୀ ଅଧିକାରୀ, ସି.ଡି.ପି.ଓ, ଅଙ୍ଗନବାଡ଼ି କର୍ମୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ଅଂଶଗ୍ରହଣକାରୀମାନେ ବାଲ୍ୟବିବାହ ରୋକିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ବାହାରେ ଏକ ମହମବତୀ ଶୃଙ୍ଖଳା ମାନବ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ *”ବାଲ୍ୟବିବାହ ବନ୍ଦ କରନ୍ତୁ – ଝିଅମାନଙ୍କୁ ସଶକ୍ତ କରନ୍ତୁ, ଶୈଶବକୁ ସୁରକ୍ଷା ଦିଅନ୍ତୁ ଏବଂ ଏକ ଉନ୍ନତ ଭବିଷ୍ୟତ ଗଢ଼ନ୍ତୁ; ପ୍ରତ୍ୟେକ ଶିଶୁ ଏକ ସୁନ୍ଦର ଶୈଶବର ଅଧିକାରୀ”* ବୋଲି ସମାଜକୁ ଦୃଢ଼ ବାର୍ତ୍ତା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଏସ.ଡି.ପି.ଓ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଦିବ୍ୟଭୂଷଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଏବଂ ରୁଚିକା ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି ପ୍ରମୁଖ ଯୋଗ ଦେଇଥିବା ବେଳେ ସଂଗଠନର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶ୍ରୀ ଆର.ପି. ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାସହ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ, ସି.ଡି.ପି.ଓ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।



