ଓଡିଶା

ନେମାଳ ଅଚ୍ୟୁତାନନ୍ଦ ପୀଠରେ ରାସ ପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା କଲେ ଆଇଜି ଡଃ ସତ୍ୟଜିତ ନାୟକ

ନେମାଳ/କଟକ, ୨୬ ଅକ୍ଟୋବର: ପବିତ୍ର କାର୍ତ୍ତିକ ମାସ ଅବସରରେ କଟକ ଜିଲ୍ଲାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ପରିଦର୍ଶନ କରି ରାସ ପୂର୍ଣ୍ଣିମା ଉତ୍ସବ ପାଇଁ କରାଯାଇଥିବା ପୁଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାୟକ। ରାସ ପୂର୍ଣ୍ଣିମା ଅବସରରେ ନେମାଳ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

 

ନେମାଳର ରାସ ପୂର୍ଣ୍ଣିମା ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ଉତ୍ସବ। ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ରାସଲୀଳାର ଆଧ୍ୟାତ୍ମିକ ମହିମା ଜୀବନ୍ତ ହୋଇଉଠେ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ସାଧନାପୀଠରେ ଶ୍ରଦ୍ଧାଳୁଙ୍କ ଗଭୀର ଆସ୍ଥା ଓ ଭକ୍ତିଭାବ ଏହି ଉତ୍ସବକୁ ଅଧିକ ମହିମାମଣ୍ଡିତ କରିଥାଏ।

ପୀଠରେ ପୁଲିସ ପକ୍ଷରୁ କରାଯାଇଥିବା ବ୍ୟାପକ ସୁରକ୍ଷା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଦେଖି ଆଇଜି ସନ୍ତୋଷ ପ୍ରକାଶ କରିଥିଲେ। ହଜାର ହଜାର ଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ଆଧ୍ୟାତ୍ମିକ ଭାବନାକୁ ନିକଟରୁ ଅନୁଭବ କରିବା ସହ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାନ ଆଧ୍ୟାତ୍ମିକ ପରମ୍ପରା ସହ ଯୋଡ଼ି ହେବାର ସୁଯୋଗ ପାଇ ସେ ନିଜକୁ ଧନ୍ୟ ମନେ କରିଥିଲେ।

ରାସ ପୂର୍ଣ୍ଣିମା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଦର୍ଶନର ସୁଯୋଗ ଯୋଗାଇଦେବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button