ଓଡିଶା

ମହାରାଜା ଯଯାତି କେଶରୀ ଯାଜପୁର ମେଡିକାଲ କଲେଜରେ ତୃତୀୟ ବ୍ୟାଚ୍ MBBS ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ହ୍ୱାଇଟ୍ କୋଟ୍’ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ଯାଜପୁର, ୨୬ ଅକ୍ଟୋବର ୨୦୨୬ ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (MJKMCH) ର ଅଡିଟୋରିୟମରେ ୨୦୨୬–୨୦୨୭ ଶିକ୍ଷାବର୍ଷର ତୃତୀୟ ବ୍ୟାଚ୍ MBBS ଛାତ୍ରଛାତ୍ରୀଙ୍କ ପାଇଁ ‘ହ୍ୱାଇଟ୍ କୋଟ୍’ (White Coat) ଏବଂ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଯାଇଛି।

 

ଏହି ସମାରୋହରେ ନୂତନ ଭାବେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ପାରମ୍ପରିକ ଧଳା କୋଟ୍ ପିନ୍ଧି ନିଷ୍ଠା ଓ ସଦିଚ୍ଛାର ସହ ‘ମହର୍ଷି ଚରକ ଶପଥ’ ପାଠ କରିଥିଲେ। ରୋଗୀସେବାକୁ ପ୍ରାଥମିକତା ଦେବା, ଗୋପନୀୟତା ରକ୍ଷା କରିବା, ସମାନତା, ନମ୍ରତା ଓ ବୃତ୍ତିଗତ ନୈତିକତା ବଜାୟ ରଖିବା ସହ ଶୃଙ୍ଖଳିତ ଏବଂ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ସେମାନେ ନିଜକୁ ଉତ୍ସର୍ଗ କରିଥିଲେ।

 

ମୁଖ୍ୟ ଅତିଥି ଭାବେ ଯୋଗଦେଇ MJKMCH ର ଡିନ୍ ତଥା ପ୍ରିନ୍ସିପାଲ୍ ପ୍ରଫେସର (ଡାକ୍ତର) ଜାମି ସାଗର ପୃଷ୍ଟି ନୂତନ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକତା ଓ ସମ୍ବେଦନଶୀଳତାର ସହ ସେବା କରିବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସା କ୍ଷେତ୍ରଟି ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରଥମ ଦିନରୁ ହିଁ ଗମ୍ଭୀରତାର ସହ ପାଠପଢ଼ା କରିବା ଆବଶ୍ୟକ ଏବଂ ପ୍ରଥମ ବର୍ଷର ମଜବୁତ୍ ଭିତ୍ତିଭୂମି ହିଁ ଭବିଷ୍ୟତ କ୍ୟାରିୟରକୁ ସଫଳ କରିଥାଏ ବୋଲି ସେ ପ୍ରକାଶ କରିଥିଲେ।

 

ପ୍ରଫେସର ପୃଷ୍ଟି ଆହୁରି ମଧ୍ୟ କହିଥିଲେ ଯେ କେବଳ ପାଠ୍ୟପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ, ବରଂ ନିଜର ଦକ୍ଷତାକୁ ନିରନ୍ତର ବୃଦ୍ଧି କରିବାକୁ ପଡ଼ିବ। ସଠିକ୍ ଦକ୍ଷତା ଥିଲେ ହିଁ ଜଣେ ଡାକ୍ତର କମ୍ ଔଷଧ ଏବଂ ଆଗୁଆ ରୋଗ ଚିହ୍ନଟ ମାଧ୍ୟମରେ ରୋଗୀର ଉତ୍ତମ ଚିକିତ୍ସା କରିପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତନର ବିକାଶ କରି ସେମାନଙ୍କୁ ସମାଜ ପାଇଁ ଜଣେ ଦାୟିତ୍ୱବାନ୍ ନାଗରିକ ଭାବେ ଗଢ଼ିତୋଳିବା ଶିକ୍ଷକମାନଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦୋହରାଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଯାଜପୁର DHH ର DMO ତଥା MS ଡାକ୍ତର ମନୋଜ କୁମାର ସେନାପତି ଏବଂ ଆନାଟୋମୀ ବିଭାଗର ମୁଖ୍ୟ ତଥା ଛାତ୍ର ସଂସଦର ଉପଦେଷ୍ଟା ପ୍ରଫେସର (ଡାକ୍ତର) ଧର୍ମ ନିରଞ୍ଜନ ମିଶ୍ରଙ୍କ ସମେତ ଫିଜିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍ ଓ ଫାର୍ମାକୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକମାନେ ଉପସ୍ଥିତ ରହି ନୂତନ ବ୍ୟାଚ୍‌କୁ ସ୍ୱାଗତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ,

Related Articles

Leave a Reply

Your email address will not be published. Required fields are marked *

Back to top button