ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ଓଡ଼ିଶା ରେବଢ଼ିଲା ରାଜନୈତିକ ଉଷ୍ମତା

ରାୟଗଡ଼ା, ୨୬ ଅକ୍ଟୋବର: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରଭାବ ପଡ଼ୋଶୀ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହେଲାଣି। ଆନ୍ଧ୍ରର ପାହାଡ଼ିଆ ଗାଁଗୁଡ଼ିକରେ ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶାର ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ରାୟଗଡ଼ା ବ୍ଲକ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ଯାନବାହନ ଚଳାଚଳ ବଢ଼ିଛି। ଆନ୍ଧ୍ରପ୍ରଦେଶର ମାନ୍ୟମ୍ ଜିଲ୍ଲା ଅନ୍ତର୍ଗତ କାମରଡ଼ା ମଣ୍ଡଳର ଉଲୁଟି, ରେବା ଓ ଗାରିସେଲା ସମେତ ଗୁମା ଲକ୍ଷ୍ମୀପୁର ମଣ୍ଡଳର ବୀରପାଡୁଲାଡ଼ା ଗାଁରେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି। ଏହି ଗାଁଗୁଡ଼ିକୁ ଆନ୍ଧ୍ର ପଟୁ ସିଧାସଳଖ ରାସ୍ତା ନଥିବାରୁ ପ୍ରାର୍ଥୀ, ପ୍ରଚାର ଗାଡ଼ି ଓ ରାଜନୈତିକ କର୍ମୀମାନେ ରାୟଗଡ଼ା ବ୍ଲକ୍ର ଅଣିଜା ଓ ବାରୁହାଲୁଆ ଗାଁ ଦେଇ ଯାତାୟାତ କରୁଛନ୍ତି। ପାହାଡ଼ ଉପରେ ଅବସ୍ଥିତ ଏହି ଚାରିଟି ଗାଁରେ ପ୍ରାୟ ଏକ ହଜାର ଲୋକ ବସବାସ କରୁଥିବାବେଳେ ପ୍ରାୟ ୭୦୦ ଜଣ ଭୋଟର ଥିବା ଜଣାପଡ଼ିଛି। ପ୍ରାର୍ଥିପତ୍ର ଦାଖଲ ପରଠାରୁ ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉଦ୍ୟମ ଚଳାଇଛନ୍ତି। ଏହି ଗାଁଗୁଡ଼ିକରେ କେତେକ ଓଡ଼ିଆଙ୍କ ପ୍ରଭାବ ରହିଥିବାରୁ ସେମାନଙ୍କ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ରାଜନୈତିକ ଦଳଗୁଡ଼ିକ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, କେତେକ ବ୍ୟକ୍ତି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ପଞ୍ଜୀକୃତ ଥିବା ଅଭିଯୋଗ ନୂଆ ବିବାଦ ସୃଷ୍ଟି କରିଛି। ରାୟଗଡ଼ା ବ୍ଲକ୍ର କେରେଡ଼ା ଓ ହାଟ ଶେଷଖାଲ ପଞ୍ଚାୟତ ଅନ୍ତର୍ଗତ କେତେକ ଗାଁର ବାସିନ୍ଦାଙ୍କ ନାମ ଆନ୍ଧ୍ରପ୍ରଦେଶର ମାନ୍ୟମ୍ ଜିଲ୍ଲାର କାମରଡ଼ା ଓ ଗୁମା ଲକ୍ଷ୍ମୀପୁର ମଣ୍ଡଳର ଭୋଟର ତାଲିକାରେ ଥିବା ଅଭିଯୋଗ ହୋଇଛି। ୨୦୨୧ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଏଭଳି ଦ୍ୱୈତ ଭୋଟରଙ୍କ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଏଥର ପୁଣି ସମାନ ଅଭିଯୋଗ ଉଠିବା ପରେ ଭୋଟର ତାଲିକାର ଯାଞ୍ଚ ଓ ପ୍ରଶାସନିକ ତଦାରଖକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରର ନିର୍ବାଚନୀ ପ୍ରଚାରରେ ଓଡ଼ିଶା ରାସ୍ତାର ବ୍ୟବହାର ଏବଂ ଦ୍ୱୈତ ଭୋଟରଙ୍କୁ ନେଇ ଉଠିଥିବା ଅଭିଯୋଗ ସୀମାନ୍ତ ଅଞ୍ଚଳରେ ରାଜନୈତିକ ତତ୍ପରତା ବଢ଼ାଇଛି।



