ଗୋ ଚାଲାଣ ଯୋଜନା ପଣ୍ଡ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର
ଦାନ୍ତୁନ ପୁଲିସର ନାକା ଚେକିଂ ବେଳେ ଧରାପଡ଼ିଲା ଗୋରୁ ବୋଝେଇ ଗାଡ଼ି

ଜଳେଶ୍ଵର (ଦେବାଶିଷ ଦାଶ ) ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦାନ୍ତୁନ ଥାନା ଅଞ୍ଚଳରେ ଗୋଚାଲାଣ ଯୋଜନାକୁ ପଣ୍ଡ କରିଛି ବଙ୍ଗ ପୁଲିସ। ଧାନ ତୁଷ ଆଢ଼ୁଆଳରେ ଗୋରୁ ଚାଲାଣ କରାଯାଉଥିବା ବେଳେ ମାଟିବେରୁଆ ନାକା ନିକଟରେ ପୁଲିସ ଏକ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଗାଡ଼ିରୁ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଜବତ କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ପୂର୍ବାହ୍ନ ସମୟରେ ଓଡିଶା ରୁ ପଶ୍ଚିମବଙ୍ଗ ଗୋରୁ ଚାଲାଣ ସମ୍ପର୍କରେ ଦାନ୍ତନ ଥାନା ପୁଲିସକୁ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ପକ୍ଷରୁ ମାଟିବେରୁଆ ନାକା ନିକଟରେ ନାକା ଚେକିଂ କରାଯାଇଥିଲା। ଏହି ସମୟରେ ଓଡ଼ିଶା ପଟୁ ଆସୁଥିବା ଏକ ଗାଡ଼ିକୁ ପୁଲିସ ଅଟକାଇଥିଲା। ଗାଡ଼ିଟିର ଉପର ଭାଗରେ ଧାନ ତୁଷ ବୋଝେଇ ହୋଇଥିବାରୁ ବାହାରୁ ଦେଖିଲେ ଗାଡ଼ିରେ କେବଳ ଧାନ ତୁଷ ରହିଥିବା ଭଳି ମନେ ହେଉଥିଲା। ତେବେ ପୁଲିସ ଗାଡ଼ିଟିକୁ ଯାଞ୍ଚ କରିବାରୁ ଭିତରେ ଗୋରୁ ବୋଝେଇ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଗାଡ଼ି ସହ ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଜବତ କରିଥିଲା।ତେବେ ଏହି ଗୋଚାଲାଣ ପଛରେ କାହାର ହାତ ରହିଛି ଏବଂ ଗୋରୁଗୁଡ଼ିକ କେଉଁଠାକୁ ଚାଲାଣ କରାଯାଉଥିଲା, ସେ ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ,



