ଓଡିଶା

କୋଣାର୍କରେ ୧୧୦ କୋଟିରୁ ଅଧିକ ଟଙ୍କାର ଜମିକୁ ନେଇ ବଡ଼ ନିଷ୍ପତ୍ତି; ୩୭ ବର୍ଷର ପୁରୁଣା ଆଦେଶ ରଦ୍ଦ

କୋଣାର୍କ ( ଦେବାଶିଷ ଦାଶ ) ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ନେଇ ବଡ଼ ପଦକ୍ଷେପ ନେଇଛି ଓଡ଼ିଶା ରାଜସ୍ୱ ପର୍ଷଦ। ପ୍ରାୟ ୩୭ ବର୍ଷ ପୁରୁଣା ଏକ ପ୍ରଶାସନିକ ଆଦେଶକୁ ରଦ୍ଦ କରାଯାଇଛି। ଏହାଦ୍ୱାରା ୧୧ ଏକରରୁ ଅଧିକ ଜମି ସରକାରୀ ରେକର୍ଡକୁ ଫେରିବା ପାଇଁ ରାସ୍ତା ଖୋଲିଛି। ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୧୧୦ କୋଟି ଟଙ୍କାରୁ ଅଧିକ।

ସୂଚନା ଅନୁସାରେ, ପୁରୀ ଜିଲ୍ଲାର କୋଣାର୍କ ମୌଜାରେ ଥିବା ଏହି ଜମି ପୂର୍ବରୁ ସରକାରୀ ଅନାବାଦୀ ଜମି ଭାବେ ରେକର୍ଡରେ ଥିଲା। ତେବେ ୧୯୮୯ ମସିହାରେ ତତ୍କାଳୀନ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନରଙ୍କ ଏକ ଆଦେଶ ମାଧ୍ୟମରେ ଜମିର କିଛି ଅଂଶ ଜଣେ ବ୍ୟକ୍ତିଙ୍କ ନାମରେ ହସ୍ତାନ୍ତର ହୋଇଥିଲା। ଏହି ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନକୁ ନିଜ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଜମି ଦଖଲ, ଚାଷବାସ, ଖଜଣା ପ୍ରଦାନ ଓ ରାଜସ୍ୱ ରେକର୍ଡରେ ନାମ ଥିବା ଆଧାରରେ ବ୍ୟକ୍ତିଗତ ମାଲିକାନା ଦାବି କରାଯାଇଥିଲା।

ଜିଲ୍ଲାପାଳଙ୍କ ଆବେଦନ ପରେ ଶୁଣାଣି ୨୦୨୫ ନଭେମ୍ବରରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ହୋଇଥିବା ରିଭିଜନ୍ ଆବେଦନର ଶୁଣାଣି କରିଥିଲେ ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ। ପୁରୁଣା ହାତପଟ୍ଟା, ରାଜସ୍ୱ ରେକର୍ଡ ଓ ଜମି ହସ୍ତାନ୍ତରର ଆଇନଗତ ବୈଧତା ଯାଞ୍ଚ ପରେ ୧୯୮୯ର ଆଦେଶକୁ ରଦ୍ଦ କରାଯାଇଥିଲା। ରାଜସ୍ୱ ପର୍ଷଦଙ୍କ ମତରେ, କେବଳ ଦୀର୍ଘଦିନ ଜମି ଦଖଲରେ ରଖିବା କିମ୍ବା ଖଜଣା ଦେବା ମାଲିକାନାର ଚୂଡ଼ାନ୍ତ ପ୍ରମାଣ ନୁହେଁ। ମୂଳ ହସ୍ତାନ୍ତର ଆଇନଗତ ଭାବେ ବୈଧ ନଥିଲେ, ପରବର୍ତ୍ତୀ ରେକର୍ଡ ପରିବର୍ତ୍ତନ କିମ୍ବା ବିକ୍ରି ଦଲିଲ ମଧ୍ୟ ସେହି ତ୍ରୁଟିକୁ ସୁଧାରିପାରିବ ନାହିଁ। ସରକାରୀ ଜମିର ସୁରକ୍ଷା ପାଇଁ ନିର୍ଦ୍ଦେଶ ରାଜସ୍ୱ ପର୍ଷଦ ସମ୍ପୃକ୍ତ ଅଧିକାରୀଙ୍କୁ ପୁରୁଣା ଓ ନୂଆ ଜମି ରେକର୍ଡ, ମାନଚିତ୍ର, ମାପ ଓ ସୀମା ପୁନଃ ଯାଞ୍ଚ କରିବାକୁ କହିଛନ୍ତି। ଆବଶ୍ୟକ ସଂଶୋଧନ ସହ ସରକାରୀ ରାସ୍ତା ଓ ସାଧାରଣ ସମ୍ପତ୍ତିର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ଓଡ଼ିଶାର ଏକ ପ୍ରମୁଖ ଐତିହ୍ୟସ୍ଥଳ। ଏହାର ଆଖପାଖ ଜମିର ସୁରକ୍ଷା ଐତିହ୍ୟ ସଂରକ୍ଷଣ ସହ ସରକାରୀ ସ୍ତରରେ ସମ୍ପତ୍ତିର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରୁଛି। ଏବେ ରାଜସ୍ୱ ରେକର୍ଡରେ ସଂଶୋଧନ ଓ ଜମିର ସ୍ଥିତି ନିଶ୍ଚିତ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button